ସଫଳତାର ଆଧାର:ଆତ୍ମା ନିରୀକ୍ଷଣ ଓ ପରମାତ୍ମା ନିଶ୍ଚୟ
ଆତ୍ମା ନିରୀକ୍ଷଣ
ସଫଳ ଜୀବନ ପାଇଁ ଆତ୍ମା ନିରୀକ୍ଷଣ ନିତାନ୍ତ ଆବଶ୍ୟକ । ଏକାନ୍ତରେ ବିଶ୍ରାମ ନେଉଥିବାବେଳେ ‘ସ୍ବ’ ବା ଆତ୍ମାର ଶୁଦ୍ଧ ସ୍ବରୂପ ଚିନ୍ତନ କରିବା ଉଚିତ । ସୁଷମ ଓ ପୌଷ୍ଟିକ ଆହାର-ବିହାର, ନିଦ୍ରା ଓ ବ୍ୟାୟାମ ଯେପରି ଉମ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ, ସେହିପରି ଆତ୍ମା ଓ ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମ ଚିନ୍ତନ ଓ ଆତ୍ମାନୁଭୂତି ପାଇଁ ଯୋଗାଭ୍ୟାସ ଅତି ଆବଶ୍ୟକ । ତଟସ୍ଥ ଭାବରେ ରହି ଶରୀର ଓ ମନର କ୍ରିୟାକଳାପକୁ ଗହନ ଭାବରେ ଅଧ୍ୟୟନ ଏବଂ ନିରୀକ୍ଷଣ କରିବା ହେଉଛି ଆତ୍ମା ନିରୀକ୍ଷଣ । ନିଜକୁ ଶରୀରଠାରୁ ଭିନ୍ନ ଆତ୍ମା ବୋଲି ଅନୁଭବ କରିବାକୁ ହେବ । ମନରେ ସଂକଳ୍ପ ଉପôନ୍ନ କରିବାକୁ ହେବ ଯେ ମୁଁ ଆତ୍ମା, ଏହା ହେଉଛି ମୋର ଶରୀର । ମୁଁ ଆତ୍ମା ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରେ । ମୁଁ ନିତ୍ୟ, ଶାଶ୍ୱତ, ଅବିନାଶୀ ଜ୍ୟୋତି ବିନ୍ଦୁ ଅଟେ । ଏ ଶରୀର ରୂପୀ ବସ୍ତ୍ର ଧାରଣ କରି ସଂସାର ରଂଗ ମଂଚରେ ଅଭିନୟ ମାତ୍ର କରୁଛି । ନିଜକୁ ବା ଆତ୍ମାକୁ ଶରୀରଠାରୁ ପୃଥକ ଅନୁଭବ କରିବା ପାଇଁ ଯେଉଁ ମାନସିକ ଅଭ୍ୟାସ କରାଯାଏ ତାହା ହେଉଛି ଆତ୍ମ ଚିନ୍ତନ । ଆତ୍ମା ଯେତେବେଳେ ଶରୀର ସହିତ ତାଦାତ୍ମ ସ୍ଥାପିତ କରି ଇନ୍ଦ୍ରିୟ ସୁଖ ଭୋଗ ପାଇଁ ଇଚ୍ଛା କରେ ସେତେବେଳେ ସେ ନିଜ ମୂଳ ସ୍ବରୂପକୁ ଭୁଲିଯାଏ । ଆତ୍ମ ବିସ୍ମୃତ ବ୍ୟକ୍ତି ରାଗ-ଦ୍ୱେଷ, ପ୍ରିୟ-ଅପ୍ରିୟ, ସୁଖ-ଦୁଃଖ, ଲାଭ-କ୍ଷତି, ସଫଳତା-ଅସଫଳତା ଆଦି ଦ୍ୱନ୍ଦାତ୍ମକ ବିଷୟ ପ୍ରଭାବରେ ପ୍ରଭାବିତ ହୋଇ କ୍ରମଶଃ ଆନ୍ତରିକ ଶକ୍ତି ହରାଇ ବସନ୍ତି । ଏଭଳି ଦେହାଭିମାନୀ ବ୍ୟକ୍ତି ସତ୍ୟ ଜ୍ଞାନ ଅଭାବରେ ଆତ୍ମା ନିରୀକ୍ଷଣ କରିବାକୁ ଅସମର୍ଥ ହୁଅନ୍ତି । ସତ୍ୟ ଜ୍ଞାନ ମଣିଷକୁ ସତ୍ବୁଦ୍ଧି ଓ ସତ୍ବିବେକ ପ୍ରଦାନ କରେ । ଏହି ପ୍ରକ୍ରିୟାରେ ସତ୍ଜ୍ଞାନ, ଆତ୍ମିକ ଶକ୍ତି, ବୋଧ-ଶକ୍ତି, ଧୈର୍ଯ୍ୟ, ସାହସ ଓ ପୁରୁଷାର୍ଥ ପାଇଁ ପ୍ରେରଣା ପ୍ରାପ୍ତ ହୁଏ ।ସ୍ବାନୁଭୂତି, ଆତ୍ମନିରୀକ୍ଷଣ କିମ୍ବା ଆତ୍ମାବଲୋକନର ଅର୍ଥ ଆତ୍ମିକ ଶକ୍ତିକୁ ହିଁ ଆନ୍ତରିକ ଶକ୍ତି ରୂପେ ଅନୁଭବ କରିବା । ଏହାକୁ ଅନ୍ତର୍ଦୃଷ୍ଟି ମଧ୍ୟ କୁହାଯାଇ ପାରେ । କାରଣ ଏହି ଅବସ୍ଥାରେ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଆଦି ଭୌତିକ ଜଗତର କୌଣସି ବିଷୟର ବିଚାର ଓ ତାର ପ୍ରତୀତି ନ ଥାଏ । ଅଭୌତିକ ଆତ୍ମା କିମ୍ବା ଭୌତିକ ସାଂସାରିକ ବିଷୟ ବସ୍ତୁ- ଏ ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିଏକୁ ବ୍ୟକ୍ତି ଥରକୁ ଅନୁଭବ କରିପାରେ । ଯେତେବେଳେ ବ୍ୟକ୍ତିର ଆତ୍ମା ସହିତ ସମ୍ବନ୍ଧ ବିଯୁକ୍ତ ହୁଏ ସେତେବେଳେ ତତ୍କ୍ଷଣାତ୍ ତାର ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଆଦି ସହ ତା’ର ତାଦାତ୍ମ୍ୟ ସ୍ଥାପିତ ହୁଏ । ଏହା ହେଉଛି ବସ୍ତୁ ପରକ ଦୃଷ୍ଟି କୋଣ । ଏହି ଅବସ୍ଥାରେ ଆତ୍ମା ସ୍ବ-ପ୍ରଭାବ କ୍ଷେତ୍ରରୁ ବିଚୁ୍ୟତ ହୋଇ ସାଂସାରିକ ପ୍ରଭାବରେ ଆସିଯାଏ । ଏହାଦ୍ୱାରା ବିଭିନ୍ନ ପ୍ରକାର ମାନସିକ, ଶାରୀରିକ ଏବଂ ସାମାଜିକ ପରିବେଶ ଜନିତ ସ୍ଥିତି ଜାତ ହୋଇଥାଏ ।
ଆମେ ଯେଉଁ ଭୌତିକ ଜଗତରେ ବସବାସ କରୁଛେ, ତାହା ପଦାର୍ଥ ମାତ୍ର ନୁହେଁ, ଶକ୍ତି ଅଟେ । ଏହାର ଉପôନ୍ନ ଅଦୃଶ୍ୟ ଶକ୍ତିରୁ । ଏ ଜଗତ ଦୃଶ୍ୟ ଓ ଅଦୃଶ୍ୟର ଏକ ଖେଳ ଘର । ପ୍ରକୃତି ଓ ପୁରୁଷର ସୂକ୍ଷ୍ମ ଆଧ୍ୟାତ୍ମିକ ନିୟମ ଦ୍ୱାରା ଏହା କାର୍ଯ୍ୟାନ୍ୱିତ ହୋଇଥାଏ । ଜଗତର ଅନନ୍ତ ଶକ୍ତି ସଂପନ୍ନ ପ୍ରକୃତି ଓ ଆତ୍ମାର ପବିତ୍ର ସ୍ବରୂପ ମଧ୍ୟରେ ଅପ୍ରତିହତ ପ୍ରବାହ ସତତ ବିଦ୍ୟମାନ । ଏହି ସତ୍ୟକୁ ପ୍ରତ୍ୟକ୍ଷ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୋଇଯାଏ ଓ ସେ ଶରୀର ଧାରଣ କରି ମଧ୍ୟ ସତତ ଆତ୍ମିକ ସ୍ମୃତିରେ ସ୍ଥିତ ରହିପାରେ ।
ଆତ୍ମା ନିରୀକ୍ଷଣ ଦ୍ୱାରା ବ୍ୟକ୍ତି ପରିବାର ଓ ସମାଜରେ ସ୍ବୀୟ ମୂଲ୍ୟାଙ୍କନ କରିବାକୁ ସକ୍ଷମ ହୁଏ । କାରଣ, ଜଣକର ମୂଲ୍ୟାଙ୍କନ ଅନ୍ୟ ଜଣେ କରିପାରିବ ନାହିଁ । ନିଜ ପରିବାର, ପଡ଼ୋଶୀ ଓ ସମାଜର ଦୃଷ୍ଟିରେ ମୋର ସ୍ଥିତି ଓ ପରିଚିତ କ’ଣ, ଏହା ଯେତେବେଳେ ବ୍ୟକ୍ତି ସୂକ୍ଷ୍ମ ଭାବରେ ମନନ ଚିନ୍ତନ କରେ ଯେତେବେଳେ ସେ ଦୋଷଗୁଣ ବିଷୟରେ ସଚେତନ ହୁଏ ଓ ତା’ର ବ୍ୟକ୍ତିତ୍ୱ ଶୁଦ୍ଧ ସୁବର୍ଣ୍ଣ ପରି ଝଲସି ଉଠେ ।
ପରମାତ୍ମା ନିଶ୍ଚୟ
ପରମାତ୍ମା ହେଉଛନ୍ତି ସକାରାତ୍ମକ ଶକ୍ତି ସମୂହର ଉତ୍ସ । ପରମାତ୍ମା ନିଶ୍ଚୟ ଦ୍ୱାରା ଆତ୍ମାରେ ସକାରାତ୍ମକ ଶକ୍ତିର ସଂଚାର ହୁଏ । ପରମାତ୍ମାଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଲେ ବ୍ୟକ୍ତିର କର୍ୃତ୍ୱାଭିମାନ ନଷ୍ଟ ହୁଏ । ଏହାଦ୍ୱାରା ବ୍ୟକ୍ତି ତା’ର ଜୀବନର ଲଗାମ ଭଗବାନଙ୍କୁ ସମର୍ପି ଦେଇ ନିଶ୍ଚିନ୍ତ ହୋଇ କର୍ମ କରି ଚାଲେ । ଈଶ୍ୱରୀୟ ବିଶ୍ୱାସ ଦ୍ୱାରା ଆଶ୍ଚର୍ଯ୍ୟଜନକ ପରିଣାମ ପ୍ରାପ୍ତ ହୁଏ । କୌଣସି ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପାଇଁ କାର୍ଯ୍ୟ ଆରମ୍ଭ କଲେ ମଝିରେ ମଝିରେ କଠିଣ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ନିରବଚ୍ଛିନ୍ନ ପୁରୁଷାର୍ଥ ପାଇଁ ଅତ୍ୟଧିକ ପୁରୁଷାର୍ଥ କରିବାକୁ ପଡ଼େ । ଏହି ସମୟରେ ଆତ୍ମ ପ୍ରୋତ୍ସାହନ ଓ ପରମାତ୍ମାଙ୍କ ପ୍ରତି ଦୃଢ଼ ବିଶ୍ୱାସ ପୂର୍ବକ ତାଙ୍କୁ ଅନନ୍ୟ ଭାବେ ସ୍ମରଣ କଲେ ଯଥାର୍ଥ ଦିଗ୍ଦର୍ଶନ ପ୍ରାପ୍ତ ହୁଏ ଓ ଅନାୟାସରେ ସମସ୍ତ ବାଧାବିଘ୍ନ ଏଡ଼ାଇ ବ୍ୟକ୍ତି ସଫଳତାର ଶୀର୍ଷ ଦେଶରେ ଉପନୀତ ହୁଏ । ଆଧ୍ୟାତ୍ମିକ ବ୍ୟକ୍ତିଗଣ ସାଧନାରେ ସହଜ ସିଦ୍ଧି ପ୍ରାପ୍ତ ପାଇଁ ମନ, ବଚନ ଓ କର୍ମରେ ନିଜକୁ ପରମାତ୍ମାଙ୍କଠାରେ ସମର୍ପଣ କରି ଦେବା ଉଚିତ । ପରମାତ୍ମାଙ୍କୁ ଜୀବନ ରଥର ଲଗାମ ସମର୍ପି ଦେଲେ ସେ ମଣିଷକୁ ସତ୍ମାର୍ଗରେ ଆଗେଇ ନେବେ । ତେଣୁ କୁହାଯାଏ, ଯେଉଁଠି ପରମାତ୍ମା ନିଶ୍ଚୟ, ସେଇଠି ବିଜୟ ସୁନିଶ୍ଚିତ ।ସଂସାରରେ କେହି କାହା ସହିତ ତୁଳନୀୟ ନୁହେଁ । ଏହି ସୃଷ୍ଟି ଏକ ରଂଗମଂଚ ସଦୃଶ । ଏଠାରେ ପ୍ରତ୍ୟେକ ନିଜ ନିଜ ଭୂମିକାରେ ଅଭିନୟ କରନ୍ତି । ତେଣୁ ଶତ୍ରୁ-ମିତ୍ର, ଧନୀ-ଦରିଦ୍ର, ଛୋଟ-ବଡ଼ ଆଦି ଭେଦଭାବ ମନରୁ ଦୂର କରିଦେବା ଉଚିତ । ବ୍ୟକ୍ତି ନିଜ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ବିଧିପୂର୍ବକ କର୍ମ କରି ଚାଲିଲେ ଅବଶ୍ୟ ସଫଳତା ପ୍ରାପ୍ତ ହେବ । ରାସ୍ତାରେ ଚାଲୁଥିବାବେଳେ ବା ଗାଡ଼ି ଚଳାଉଥିବାବେଳେ ଯଦି ଜଣେ ଏପଟେ ସେପଟେ ବା ପଛକୁ ଦେଖେ ତେବେ ଦୁର୍ଘଟଣା ସୁନିଶ୍ଚିତ । ତେଣୁ, ଆଗକୁ ଦୃଷ୍ଟି ରଖି ଓ ଖାଲ ଢ଼ିପ ବା ମୋଡ଼ ପ୍ରତି ସତର୍କ ରହି ଯାତ୍ରା କଲେ ଲକ୍ଷ୍ୟ ସ୍ଥଳରେ ସୁଗମତା ପୂର୍ବକ ପହଂଚି ହୁଏ । ଜୀବନ ଯାତ୍ରାରେ ମଧ୍ୟ ସତର୍କତା ଆବଶ୍ୟକ । ଏହି ଯାତ୍ରାର କେହି କାହାରି ସାଥୀ ନୁହେଁ । କେତେବେଳେ କିଏ କେଉଁ ମୋଡ଼ରେ ଅଟକି ଯିବ କହି ହେବନାହିଁ । ପରମାତ୍ମା ଅନଶ୍ୱର ଓ ଚିରନ୍ତନ ହୋଇଥିବାରୁ ତାଙ୍କୁ ସାଥୀ କଲେ ସେ ଶେଷ ପର୍ଯ୍ୟନ୍ତ ଆମ ସହିତ ରହିବେ । ତାଙ୍କର କେହି ଶତ୍ରୁ ନାହାନ୍ତି । ପ୍ରତ୍ୟେକ ମନୁଷ୍ୟର ସେ ହେଉଛନ୍ତି ପ୍ରକୃତ ବନ୍ଧୁ । ସେ ସର୍ବଶକ୍ତିମାନ ଓ ସର୍ବ ସମର୍ଥ । ଏହିପରି ଯା’ର ସାଥୀ, ତାକୁ କ’ଣ ଝଡ଼ଝଞ୍ଜା ଅଟକାଇ ପାରିବ? ଏକଥା ବୁଦ୍ଧିରେ ନିଶ୍ଚୟ କରିବାକୁ ହେବ ଯେ, ଯେଉଁଠି ପରମାତ୍ମା ସେଇଠି ବିଜୟଶ୍ରୀ ନିଶ୍ଚିତ ।
ପରମାତ୍ମା ହେଉଛନ୍ତି ସକଳ ଆତ୍ମାର ପରମ ପିତା । ଏହି ସ୍ମୃତିରେ ତାଙ୍କ ଶକ୍ତି, ସାମର୍ଥ୍ୟ, ଅସୀମ ପ୍ରେମ, କରୁଣା, ମଂଗଳମୟ କର୍ବ୍ୟ ଆଦି ପ୍ରତି, ବୁଦ୍ଧିରେ ଦୃଢ଼ ଆସ୍ଥା ରଖିବା ହେଉଛି ପରମାତ୍ମା ନିଶ୍ଚୟ । ଏହିପରି ନିଶ୍ଚୟ ବୁଦ୍ଧି ସଂପନ୍ନ ବ୍ୟକ୍ତି ଅସଂଭବକୁ ସଂଭବ କରିପାରନ୍ତି । ସେ ନିଜ ମଧ୍ୟରେ ଅଦ୍ଭୁତ ସାମର୍ଥ୍ୟ ଉଦ୍ରେକ ହେବା ଅନୁଭବ କରନ୍ତି । ଭୟଙ୍କର ସମସ୍ୟାରେ ମଧ୍ୟ ସେ ବିଚଳିତ ନ ହୋଇ ପରମାତ୍ମାଙ୍କ ପ୍ରତି ଭରସା ରଖି ଅନାୟାସରେ ଆଗକୁ ବଢ଼ି ଚାଲନ୍ତି । ସେ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ ଯେ ଏପରି ଘୋର ସଂକଟ କିପରି ଅତିକ୍ରମ କରି ପାରିଲେ । ତେଣୁ ପରମାତ୍ମାଙ୍କ ପ୍ରତି ଅତୁଟ ନିଶ୍ଚୟ ଏବଂ ପ୍ରେମ ସହିତ ନିଜର ସଂପୂର୍ଣ୍ଣ ସାମର୍ଥ୍ୟ ସଚ୍ଚୋଟତା ପୂର୍ବକ ସଂପାଦନ କଲେ ସମସ୍ତ ପ୍ରକାର ବାଧା, ବିଘ୍ନ ଓ ସମସ୍ୟା ଦୂର ହୋଇ ସଫଳତା ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ନିଜ ଆତ୍ମାର କଲ୍ୟାଣ ଓ ଜଗତର ମଂଗଳ କାର୍ଯ୍ୟ ପାଇଁ ସମର୍ପିତ, ସେ ନିଃସନ୍ଦେହରେ ଈଶ୍ୱରୀୟ କୃପାର ପାତ୍ର । ସେହି ବ୍ୟକ୍ତିର ଜୀବନ ଈଶ୍ୱରୀୟ ଗୁଣ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ ।
No comments:
Post a Comment